Meet On:

ତାଙ୍କ ଲେଖା ଗୁଡିକୁ ପଢନ୍ତୁ

ପରିଚୟ : ରୀତା ଅପରାଜିତା ମହାନ୍ତି, ପ୍ଳଟ ନଂ-୮୩/ସି, ଆମ୍ରପଲ୍ଲୀ, ଶୈଳଶ୍ରୀ ବିହାର, ଭୁବନେଶ୍ୱର । ମାତା ଶାନ୍ତିଲତା ମହାପାତ୍ର ଓ ପିତା ତୀର୍ଥାନନ୍ଦ ମହାପାତ୍ରଙ୍କ ସୁକନ୍ୟା ଏବଂ ରଜତ ମହାନ୍ତିଙ୍କ ପତ୍ନୀ ଅଟନ୍ତି । ଶ୍ରୀମତୀ ମହାନ୍ତି ଜଣେ ମିଷ୍ଟଭାଷୀ ଓ ସୁଲେଖିକା ଅଟନ୍ତି । ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ ସମୟରୁ ଅନାବନା କବିତା ଲେଖାରୁ ନିଜ ଅଜାଣତରେ ପାଲଟି ଯାଆନ୍ତି କବୟିତ୍ରୀଟିଏ । ହାଇସ୍କୁଲ ଶିକ୍ଷା ସମୟରେ ବିଦ୍ୟାଳୟସ୍ତରୀୟ କବିତା ଲିଖନ ପ୍ରତିଯୋଗିତାରେ ଭାଗନେଇ ୨୫ ଗୋଟି ସ୍କୁଲ ଛାତ୍ରଙ୍କ ମଧ୍ୟରେ ପ୍ରଥମ ହେବାର ପ୍ରେରଣା ତାଙ୍କୁ ପରବର୍ତ୍ତୀ ସମୟରେ ଜଣେ କବୟିତ୍ରୀର ପରିଚୟ ପ୍ରଦାନ କରିପାରିଛି । ସ୍କୁଲ ଜୀବନର ଏହି ସାରସ୍ଵତ ପ୍ରେରଣା ତାଙ୍କୁ ସାହିତ୍ୟ ଦୁନିଆ ଭିତରେ ପଦଚାଳନା କରିବାର ପଥ ପ୍ରସ୍ତୁତ କରିଥିଲା । ସେବେଠୁ ତାଙ୍କ ଅନବଦ୍ୟ ସୃଷ୍ଟିର ପାଖୁଡା ଗୁଡିକ ଓଡିଶାର ଅଗଣିତ ପତ୍ରପତ୍ରିକାର ପୃଷ୍ଠା ମଣ୍ଡନ କରିବା ସହ ଓଡିଆ ସାହିତ୍ୟର ବାଣୀ ଭଣ୍ଡାରକୁ ସମୃଦ୍ଧ କରି ଚାଲିଛି । ସାହିତ୍ୟ କ୍ଷେତ୍ରରେ କେବଳ କବିତା ଭିତରେ ସୀମିତ ନରଖି ବିଭିନ୍ନ ସମୟରେ କ୍ଷୁଦ୍ର ଗଳ୍ପ, ନାଟକ ଓ ପତ୍ରପତ୍ରିକାର ସ୍ତମ୍ଭଲେଖାରେ ମଧ୍ୟ ନିଜକୁ ନିୟୋଜିତ କରିଆସୁଛନ୍ତି । ଏହାବ୍ୟତୀତ ବିଭିନ୍ନ ସାରସ୍ଵତ ସଭାମାନଙ୍କରେ ତାଙ୍କୁ ସଂଯୋଜିକାର ଭୂମିକାରେ ମଧ୍ୟ ଦେଖିବାକୁ ମିଳିଥାଏ । ନିଜର ସୂଚାରୁ ସଂଯୋଜନା ନିମନ୍ତେ ସେ 'ମନସ୍ୱିନୀ ଶ୍ରେଷ୍ଠ ସଂଯୋଜିକା ସମ୍ମାନ' ରେ ସମ୍ମାନିତ ହେବା ସହ 'କଳିଙ୍ଗ ଭାରତୀ ସମ୍ମାନ', 'ଅଗ୍ନି ସ୍ପୁଲିଙ୍ଗ ସମ୍ମାନ', 'ଦ୍ଵିତୀୟ ଭଞ୍ଜ ସମ୍ମାନ', 'ସାରଳା ଦେବୀ ସ୍ମୃତି ସମ୍ମାନ', 'ନକ୍ଷତ୍ରମାଳୀ ସମ୍ମାନ' ଏବଂ 'ବାଣୀକନ୍ୟା ସମ୍ମାନ' ଭଳି ଅନେକ ସାରସ୍ଵତ ସମ୍ମାନର ଅଧିକାରିଣୀ ହେବା ସହ ପାଠକ/ପାଠିକା ମାନଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ମଣ୍ଡନ କରିପାରିଛନ୍ତି ।